ସାଧାରଣ ଜନତାଙ୍କ ସ୍ୱର ଓ ଦାବି ନେଇ ଜନ ଇସ୍ତାହାର ଉନ୍ମୋଚିତ
ସାଧାରଣ ଜନତାଙ୍କ ସ୍ୱର ଓ ଦାବି ନେଇ ଜନ ଇସ୍ତାହାର ଉନ୍ମୋଚିତ
ଜନବିରୋଧୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିବର୍ତ୍ତନ ପାଇଁ ଆହ୍ୱାନ
କଟକ (୧୦/୦୪) ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାମ୍ବିଧାନିକ ବ୍ୟବସ୍ଥା ଓ ଗଣତାନ୍ତ୍ରିକ ସଂସ୍ଥାନ ଗୁଡିକୁ ଦୁର୍ବଳ କରିବା ସହ ଵିଘଟନ କରାଯାଇଛି। ବ୍ୟକ୍ତି ସ୍ୱାଧୀନତା ଉପରେ ଆକ୍ରମଣ କରାଯାଉଛି। କର୍ପୋରେଟ୍ ଲୁଟକୁ ଖୋଲା ଛାଡି ଦିଆଯାଇଛି। ଆଦିବାସୀ, ଦଳିତ ତଥା ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ଧର୍ମ ନାଁରେ ଜନଗଣଙ୍କୁ ଭାଗ ଭାଗ କରିବା ପାଇଁ ଉଦ୍ୟମ କରାଯାଉଛି। ଏପରି ଏକ ଜଟିଳ ପରିସ୍ଥିତିରେ ୨୦୨୪ ନିର୍ବାଚନର ଆହ୍ୱାନକୁ ଭାରତବାସୀ ସମ୍ମୁଖୀନ ହେବାକୁ ଯାଉଥିବା ବେଳେ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ତଥା ଫାଶିବାଦକୁ ରୋକିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଲାଗିଥିବା ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ହଟାଇବା ସହ କେନ୍ଦ୍ରରେ ଗତ ୨୦୧୪ର ଏକଛତ୍ରବାଦ ବିଜେପି ଶାସନର ପରିବର୍ତ୍ତନ ଅତ୍ୟନ୍ତ ଜରୁରୀ। ଅନ୍ୟପକ୍ଷରେ ସେହି ସରକାରର ଜନ ବିରୋଧୀ ଆଇନ ତଥା ସମସ୍ତ ନୀତି ନିୟମକୁ ନିଃସର୍ତ୍ତ ସମର୍ଥନ ସହ ରାଜ୍ୟର ପ୍ରାକୃତିକ ସମ୍ପଦର ଲୁଟ୍ ପାଇଁ ଦୁଆର ଖୋଲାକରି ଦେଇଥିବା ରାଜ୍ୟ ବିଜେଡ଼ି ସରକାରକୁ ହଟାଇବା ମଧ୍ୟ ଏକାନ୍ତ ଜରୁରୀ। ଏହି ପରିପ୍ରେକ୍ଷୀରେ ରାଜ୍ୟର ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଜନ ଆନ୍ଦୋଳନ ନେତୃବୃନ୍ଦ ତଥା ସାମ୍ବାଦିକ ମାନଙ୍କୁ ନେଇ ଗଠିତ ନିବେଦକ ମଣ୍ଡଳୀ ଗତ ୧୦ ବର୍ଷର କେନ୍ଦ୍ର ସରକାର ଓ ୨୪ ବର୍ଷର ରାଜ୍ୟ ସରକାରର ବିଫଳତାକୁ ୨୦୨୪ ନିର୍ବାଚନରେ ପ୍ରଶ୍ନ କରିବାକୁ ଓଡ଼ିଶାବାସୀଙ୍କୁ ଆହ୍ୱାନ କରିଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରର ପରିବର୍ତ୍ତନ ତଥା ସମ୍ବିଧାନର ମୁଖଶାଳାରେ ଲିଖିତ ଶପଥ ଅନୁଯାୟୀ ପ୍ରତ୍ୟେକ ରାଜନୈତିକ ଓ ଆଚରଣ ନିର୍ଦ୍ଧାରିତ ହେବା ସହ ନୂଆ ସରକାର ସମ୍ମୁଖରେ ଏକ ଜନ ଇସ୍ତାହାର ପ୍ରସ୍ତୁତ କରି ଓଡ଼ିଶାବାସୀଙ୍କ ସହଯୋଗ କାମନା କରିଛନ୍ତି।
କୃଷି ଓ ଜଙ୍ଗଲ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଏକ ରାଷ୍ଟ୍ରୀୟ ନୀତି ପ୍ରସ୍ତୁତ କରିବା ସହ ଜଙ୍ଗଲ ଅଧିକାର ଆଇନ – ୨୦୦୬କୁ ଠିକ୍ ଭାବେ ଜଙ୍ଗଲବାସୀଙ୍କ ପାଇଁ ଲାଗୁ କରାଯାଉ। ସଂଯୁକ୍ତ କିସାନ ମୋର୍ଚ୍ଚାକୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଫସଲର ଉଚିତ ଦାମ ପାଇଁ ଆଇନ ପ୍ରଣୟନ ଓ କେନ୍ଦ୍ର ସରକାର ଆଇନ କରିବା ପର୍ଯ୍ୟନ୍ତ ରାଜ୍ୟ ସରକାର ଧାନ କ୍ୱିଣ୍ଟାଲ ପିଛା ବୋନସ ଏକ ହଜାର ଟଙ୍କା ଦେବାକୁ ନିର୍ବାଚନରେ ପ୍ରତିଶ୍ରୁତି ଦିଆଯାଉ। ସମସ୍ତ କୃଷି ପରିବାରର ପୁଅ ଓ ଝିଅଙ୍କ ଉଚ୍ଚଶିକ୍ଷା ଦାୟିତ୍ୱ ସରକାର ବହନ କରିବା ସହ ପ୍ରତ୍ୟେକ ଚାଷୀ ପରିବାରର ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମାସିକ ୩୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉ। ଜନ ବିରୋଧୀ ନାଗରିକତା ସଂଶୋଧନ ଆଇନ ଓ ଭାରତୀୟ ପୋଲିସ ଆଇନରେ ଦମନମୂଳକ ବ୍ୟବସ୍ଥାକୁ ତୁରନ୍ତ ପରିବର୍ତ୍ତନ କରିବା ଜରୁରୀ ହୋଇପଡ଼ିଛି। ଘରୋଇ ପ୍ରକଳ୍ପ ଶିଳ୍ପ କାରଖାନାରେ ସରକାରୀ ନିଯୁକ୍ତିରେ ଥିବା ସଂରକ୍ଷଣ ନୀତି ଲାଗୁ କରିବାକୁ ଆଇନ ପ୍ରଣୟନ ହେଉ। ଏସିଆର ସର୍ବବୃହତ ହ୍ରଦ ଚିଲିକାର ମନୁଷ୍ୟକୃତ ପରିବେଶୀୟ ବିପର୍ଯ୍ୟୟକୁ ରୋକିବା ସହ ଏହାର ପୁନରୁଦ୍ଧାର ତଥା ମତ୍ସଜୀବୀଙ୍କ ଅଧିକାର ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଉ। ଶିକ୍ଷା ଅଧିକାର ଆଇନକୁ କାର୍ଯ୍ୟକାରୀ କରି ପ୍ରତ୍ୟେକ ଶ୍ରେଣୀର ବିଷୟ ପଢ଼ାଇବା ପାଇଁ ପ୍ରାଥମିକ ସ୍କୁଲରେ ଓ ହାଇସ୍କୁଲ ସ୍ତରରେ ଏକ ତାଲିମପ୍ରାପ୍ତ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ସହ ଆଦିବାସୀ ଅଞ୍ଚଳରେ ସେମାନଙ୍କ ଭାଷାର ଶିକ୍ଷିତ ଯୁବକ ଯୁବତୀଙ୍କୁ ତାଲିମ ଦେଇ ଶିକ୍ଷକ ନିଯୁକ୍ତ କରିବାକୁ ହେବ। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ସ୍ୱାଧୀନ ଖୋଲା ବିଚାର ଚର୍ଚ୍ଚାର ପରିବେଶ ସୃଷ୍ଟି କରିବା ସହ ଛାତ୍ରଛାତ୍ରୀ ସଂଘ ନିର୍ବାଚନ ପୁନଃ କରାଯାଉ। ରାଜ୍ୟର ବାହାରକୁ ଯାଉଥିବା ଓ ରାଜ୍ୟକୁ ଆସୁଥିବା ଦାଦନ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ସ୍ଥାୟୀ ଆୟୋଗ ଗଠନ କରାଯାଉ। ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶାସନରେ ପ୍ରଣୀତ ନିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରି ରାଜ୍ୟରେ ମଦ ପ୍ରଚଳନକୁ ନିଷେଧ କରାଯାଉ। ନଦୀଗୁଡିକର ସୁରକ୍ଷା ପାଇଁ ଦେଶରେ ନଦୀ ସୁରକ୍ଷା ଆଇନ ପ୍ରଣୟନ କରାଯାଉ। ରାଜ୍ୟରେ ବିସ୍ଥାପିତମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ରାଷ୍ଟ୍ରୀୟସ୍ତରରେ ଏକ କ୍ଷମତାପ୍ରାପ୍ତ ଜାତୀୟ ଆୟୋଗ ଓ ରାଜ୍ୟସ୍ତରରେ ରାଜ୍ୟ ଆୟୋଗ ଗଠନ କରାଯାଉ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ କେନ୍ଦ୍ର କରି ନିଯୁକ୍ତି ମିଶନ ସୃଷ୍ଟି କରାଯାଇ କର୍ମ ନିଯୁକ୍ତି ଅଧିକାରକୁ (Right to Work) ସାମ୍ବିଧାନିକ ଅଧିକାର ରୂପେ କାର୍ଯ୍ୟକାରୀ କରାଯାଉ। ପ୍ରତ୍ୟେକ ସରକାରୀ ହସ୍ପିଟାଲରେ ସମସ୍ତଙ୍କୁ ଉତ୍ତମ ଚିକିତ୍ସା ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ଯୋଜନାରେ ପରିବର୍ତ୍ତନ କରାଯାଉ ଭଳି ଦାବୀ ଏହି ଜନ ଇସ୍ତାହାରରେ ବ୍ୟାପକ ଭାବରେ ଉଲ୍ଲେଖ ରହିଛି ବୋଲି ଲୋକଶକ୍ତି ଅଭିଯାନର ଉପ ସଭାପତି ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କ ଅଧ୍ୟକ୍ଷତାରେ କଟକ ଗାନ୍ଧୀ ଭବନ ଠାରେ ଆୟୋଜିତ ଜନ ଇସ୍ତାହାରର ଉନ୍ମୋଚନ କାର୍ଯ୍ୟକ୍ରମରେ ନିବେଦକ ମଣ୍ଡଳୀ ପକ୍ଷରୁ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ମନୋରଞ୍ଜନ ମହାନ୍ତି, ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ, ଇନସାଫ୍ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନିଜ ବକ୍ତବ୍ୟ ପ୍ରଦାନ କରିବା ସହ ଜନ ଇସ୍ତାହାରକୁ ଉନ୍ମୋଚିତ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି, ଚାଷୀ ନେତା ଲିଙ୍ଗରାଜ, ଚାଷୀ ନେତା ଅଶୋକ ପ୍ରଧାନ, ଜନ ଆନ୍ଦୋଳନ ନେତା ଲିଙ୍ଗରାଜ ଆଜାଦ, ଲୋକମୁକ୍ତି ସଙ୍ଗଠନର ଅନନ୍ତ, ଚାଷୀ ନେତା ସରୋଜ ମଧ୍ୟ ଏହି ଜନ ଇସ୍ତାହାରରେ ନିବେଦକ ରହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜୟନ୍ତ କୁମାର ଦାସ, କ୍ଷୀରୋଦ ଚନ୍ଦ୍ର ମହାପାତ୍ର, ବିଜୟ କୁମାର ପଢ଼ିଆରୀ, ରାମଚନ୍ଦ୍ର ଶୁକ୍ଳ, ଉମାଶଙ୍କର ମିଶ୍ର, ସୁଶାନ୍ତ ମହାପାତ୍ର, ବିଘ୍ନେଶ୍ୱର ସାହୁ, ଡ. ଅକ୍ଷୟ କୁମାର ଦାସ, ଲକ୍ଷ୍ମୀପ୍ରକାଶ ମହାପାତ୍ର, ସବ୍ୟସାଚୀ ମହାନ୍ତି, ବୀରକିଶୋର ପ୍ରଧାନ, ସଞ୍ଜୟ କୁମାର ନାୟକ, କୃଷ୍ଣପ୍ରିୟା ମିଶ୍ର, ପ୍ରସନ୍ନ କୁମାର ମହାପାତ୍ର, ଜ୍ଞାନଗୁରୁ ଦାସ, ବିଜୟ ବାରିକ, ବିଜୟ ଓଝା, ଡ. ସେକ କଲ୍ଲିମୁଲ୍ଲା, ବିଶ୍ୱଜିତ ପାଣି, ସନାତନ ମଲ୍ଲିକ, ଅନିମା ରାୟ, ବାବାଜୀ ବେହେରା, ଦେବେନ୍ଦ୍ର ସାହୁ, ପ୍ରଦ୍ୟୁମ୍ନ ନାଏକ, କାଶୀନାଥ ସ୍ୱାଇଁ, ଅର୍ଚ୍ଚନାରାଣୀ ଭୂୟାଁ, ଅନିତା ବେହେରା, ଅମ୍ରିତା ଦାସ ପ୍ରମୁଖ ଉପସ୍ଥିତ ରହିବା ସହ ଇସ୍ତାହାର ସଂକ୍ରାନ୍ତରେ ନିଜ ମତ ରଖିଥିଲେ। ସର୍ବୋଦୟ ଆନ୍ଦୋଳନ ସମିତିର ରାଷ୍ଟ୍ରୀୟ ଆବାହକ ଡଃ ବିଶ୍ୱଜିତ କାର୍ଯ୍ୟକ୍ରମ ବାବଦରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।