ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳିତ ‘ତପସ୍ବିନୀ ଓ ଉତ୍ତର ରାମଚରିତ’ ପୁସ୍ତକ ଉନ୍ମୋଚିତ
ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳିତ
‘ତପସ୍ବିନୀ ଓ ଉତ୍ତର ରାମଚରିତ’ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର: ତା: ୦୬/୪: ଗଙ୍ଗାଧର ମେହେର ପ୍ରତିଷ୍ଠାନ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ସମାରୋହ ରବୀନ୍ଦ୍ର ମଣ୍ଡପଠାରେ ପାଳିତ ହୋଇଯାଇଛି। ଏହି ସମାରୋହରେ ଗଙ୍ଗାଧର ମେହେର ସ୍ମତି କମିଟିର ଅଧ୍ଯକ୍ଷ ସଂଜୀବ ଚନ୍ଦ୍ର ହୋତା ସଭାପତିତ୍ୱ କରିଥିଲେ । ଏଥିରେ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ପ୍ରଫେସର ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟଅତିଥି, ପୂର୍ବତନ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର ଓ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ପବିତ୍ର ମୋହନ ନାୟକ ସମ୍ମାନିତ ଅତିଥି, ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଅଧ୍ୟାପକ ବିଶ୍ବରଞ୍ଜନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ବଭାବ କବି ଗଙ୍ଗାଧରଙ୍କ ଜୀବନ ଓ ସାହିତ୍ୟ କୃତି ସଂପର୍କରେ ଆଲୋକପାତ କରିଥିଲେ। ପ୍ରଥମେ ଅତିଥିମାନେ ଗଙ୍ଗାଧରଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ଯାର୍ପଣ କରିଥିଲେ। ଏ ଅବସରରେ ପ୍ରଫେସର ପବିତ୍ର ମୋହନ ନାୟକଙ୍କୁ ମାନପତ୍ର ଓ ଉପଢୌକନ ଦେଇ “ଗଙ୍ଗାଧର ମେହେର ସମ୍ମାନ”ରେ ସମ୍ମାନିତ କରାଯାଇଥିଲା। ଉତ୍ସବରେ ଯୁବ ଗବେଷକ ଡକ୍ଟର ସୁଶୀଳ କୁମାର ବାଗ୍ ଙ୍କ ରଚିତ “ତପସ୍ବିନୀ ଓ ଉତ୍ତର ରାମଚରିତ” ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଗଙ୍ଗାଧର ମେହେର ପ୍ରତିଷ୍ଠାନର ଅଧ୍ଯକ୍ଷ ମିହିର କୁମାର ମେହେର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏ ଅବସରରେ ଗଙ୍ଗାଧରଙ୍କ ରଚନା ଉପରେ ଆଧାରିତ “ଅମୃତ ସାଗର ବିନ୍ଦୁ” ନୃତ୍ୟ ନାଟିକା ପରିବେଷଣ କରାଯାଇଥିଲା। ଶେଷରେ ସ୍ମୃତି କମିଟିର ସଂପାଦକ ଦିଲ୍ଲୀପ ଦାଶଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବ ଆୟୋଜନରେ ଗଙ୍ଗାଧର ମେହେର ସ୍ମୃତି କମିଟି, ଭୁବନେଶ୍ୱର ଭୁଲିଆ ସମାଜ, ଉତ୍କଳ ସମ୍ମିଳନୀ, ବରଗଡିଆ @ ଭୁବନେଶ୍ବର, ପଶ୍ଚିମ ଓଡ଼ିଶା ଅଗ୍ରଣୀ ସଂଗଠନ ଏବଂ ଇଣ୍ଟରନ୍ଯାସନାଲ୍ ଥିଏଟର୍ ଭୁବନେଶ୍ୱରର ସଦସ୍ୟମାନେ ସହଯୋଗ କରିଥିଲେ।